ଅଗ୍ନିନିର୍ବାପନ ଜନସଚେତନତା ଓ ଉଦ୍ଧାର କାର୍ଯ୍ୟର ସଂକ୍ଷିପ୍ତ ବିବରଣୀ

ଭୁବନେଶ୍ୱର: ଅଗ୍ନିନିର୍ବାପନ ଜନସଚେତନତା ଓ ଉଦ୍ଧାର କାର୍ଯ୍ୟର ସଂକ୍ଷିପ୍ତ ବିବରଣୀ ପ୍ରକାଶ ପାଇଛି। ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ରାଜ୍ୟର ବିଭିନ୍ନ ସ୍ଥାନରେ ଅଗ୍ନି ନିରାପତ୍ତା ଏବଂ ଆପତ୍ତକାଳୀନ ପରିସ୍ଥିତିର ପ୍ରାକ୍ ପ୍ରସ୍ତୁତି ଏବଂ ଏହାର ସଫଳ ମୁକାବିଲା କରିବା, ବୈଷୟିକ ଜ୍ଞାନ କୌଶଳ, ପ୍ରାଥମିକ ଉପଚାରିତା ଏବଂ ଅଗ୍ନି ନିର୍ବାପକ ଯନ୍ତ୍ରାଂଶର ବ୍ୟବହାର ପ୍ରଣାଳୀକୁ ଦୃଷ୍ଟିରେ ରଖି ଜନ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛି । ଏହି ପରିପ୍ରେକ୍ଷିରେ ଭବାନୀପାଟନା ଏମ୍.ସି.ଏଚ୍. ସରକାରୀ ଡାକ୍ତରଖାନା ପରିସରରେ ଅଗ୍ନି ନିରାପତ୍ତା ଏବଂ ଆପତ୍ତକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ଭବାନୀପାଟନା ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ଉପ ଅଗ୍ନିଶମାଧିକାରୀ ଭବାନୀପାଟନା ମଣ୍ଡଳଙ୍କ ତତ୍ତ୍ଵାବଧାନରେ ସଚେତନତା ଡ୍ରିଲ୍ ଆୟୋଜନ କରିଥିଲେ । ଭୁବନେଶ୍ଵରସ୍ଥିତ ଆମ୍ରି ହସ୍ପିଟାଲ୍ ନିକଟସ୍ଥ ଦୁର୍ଗାମାଧବ ମଠ ଠାରେ ଗୋଟିଏ ସଡ଼କ ଦୁର୍ଘଟଣାରେ ପାତ୍ରପଡାର ସିଦ୍ଧାର୍ଥ ପାତ୍ର (୩୬) ନାମକ ଜଣେ ବ୍ୟକ୍ତି ଆହତ ହୋଇ ଦୁର୍ଘଟଣାଗ୍ରସ୍ତ କାର୍ ମଧ୍ୟରେ ଫସି ରହିଥିଲେ, ଉକ୍ତ ଘଟଣାର ଖବର ପାଇ ତମାଣ୍ଡୋ ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ଯଥାଶୀଘ୍ର ଘଟଣା ସ୍ଥଳରେ ପହଞ୍ଚି କୌଶଳକ୍ରମେ ହାଇଡ୍ରୋଲିକ୍ ଉଦ୍ଧାର ଉପକରଣ ଦ୍ୱାରା ପ୍ରତିବନ୍ଧକକୁ ହଟାଇ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ।