ଓଡ଼ିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା କର୍ମଚାରୀ ରାଜ୍ୟପାଳଙ୍କ ଦ୍ଵାରା ପୁରସ୍କୃତ

ଭୁବନେଶ୍ୱର: ୨୦୨୦ ମସିହା ସାଧାରଣତନ୍ତ୍ର ଓ ସ୍ଵାଧିନତା ଦିବସରେ ଭାରତର ମହାମାନ୍ୟ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା ୧୫ ଜଣ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା କର୍ମଚାରୀ, ୬ ଜଣ ଗୃହରକ୍ଷୀ ଏବଂ ୩ ଜଣ ବେସାମରିକ ପ୍ରତିରକ୍ଷା ବାହିନୀର ସ୍ଵେଚ୍ଛାସେବୀ କର୍ମଚାରୀ ସେମାନଙ୍କର ଉତ୍ସର୍ଗୀକୃତ ସେବା ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ “ରାଷ୍ଟ୍ରପତିଙ୍କ ସାହସିକତା ପଦକ, ବିଶିଷ୍ଟ ସେବା ପଦକ, ପ୍ରଶଂସନୀୟ ସେବା ପଦକ” ଏବଂ “ପ୍ରଶଂସା ପତ୍ର” ସହିତ ପ୍ରୋତ୍ସାହନ ରାଶି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ଅବସରରେ ସେମାନଙ୍କୁ ଉକ୍ତ ପଦକରେ ମାନ୍ୟବର ରାଜ୍ୟପାଳ ପୁରସ୍କୃତ କରିଛନ୍ତି । ଏହି ପଦକ ପ୍ରଦାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଗ୍ନି ଦୁର୍ଘଟଣାର ସଫଳ ମୁକାବିଲା ଏବଂ ବିଭିନ୍ନ ପ୍ରକାରର ବିପର୍ଯ୍ୟୟର ଉଦ୍ଧାର କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପ୍ରଦାନ କରିଥିବା କର୍ମଚାରୀ ମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ପ୍ରଶଂସିତ କରିବା । ସାଧାରଣତନ୍ତ୍ର ଦିବସ ୨୦୨୦ “ରାଷ୍ଟ୍ରପତିଙ୍କ ବିଶିଷ୍ଟ ଅଗ୍ନିଶମ ସେବା ପଦକ” ପାଇଁ ପର୍ଶୁରାମ ବାରିକ, ରବିନାରାୟଣ ବେହେରା, “ଅଗ୍ନିଶମ ପ୍ରଶଂସନୀୟ ସେବା ପଦକ” ପାଇଁ ଅନୁପ କୁମାର ଦାସ, ଅଜୟ କୁମାର ପରିଜା, ମଳୟ କୁମାର ମହାନ୍ତି ଓ ସୂର୍ଯ୍ୟମଣି ରାଉତ, “ରାଷ୍ଟ୍ରପତିଙ୍କ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବିଶିଷ୍ଟ ସେବା ପଦକ” ପାଇଁ ବରୁଣ କୁମାର ମିତ୍ର, “ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ପ୍ରଶଂସନୀୟ ସେବା ପଦକ” ପାଇଁ ସିଦ୍ଧାର୍ଥ ଶଙ୍କର ପତି, କ୍ଷୀରୋଜ କୁମାର ଦାସ ଓ ବାଉରୀ ବନ୍ଧୁ ବେଜ ପୁରସ୍କୃତ ହୋଇଛନ୍ତି । ସ୍ଵାଧୀନତା ଦିବସ – ୨୦୨୦ “ରାଷ୍ଟ୍ରପତିଙ୍କ ସାହସିକତା ପଦକ” ପାଇଁ ପ୍ରକାଶ କୁମାର ବଳ, “ରାଷ୍ଟ୍ରପତିଙ୍କ ବିଶିଷ୍ଟ ଅଗ୍ନିଶମ ସେବା ପଦକ” ପାଇଁ ସୁରେନ୍ଦ୍ରନାଥ ଗଡପଲା ଓ ମନୋଜ କୁମାର ସାହୁ, “ଅଗ୍ନିଶମ ପ୍ରଶଂସନୀୟ ସେବା ପଦକ” ପାଇଁ ରମେଶ ଚନ୍ଦ୍ର ମାଝୀ, ଅଶୋକ କୁମାର ଶତପଥୀ, ନିରଞ୍ଜନ ପଟ୍ଟନାୟକ, ବେଣୁଧର ବେହେରା, କାକର୍ଲା ନରସିଂହ ରାଓ ଓ ଧୀରେନ୍ଦ୍ରନାଥ ଜେନା, “ରାଷ୍ଟ୍ରପତିଙ୍କ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବିଶିଷ୍ଟ ସେବା ପଦକ” ପାଇଁ ଗଣେଶ ବାରିକ, “ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ପ୍ରଶଂସନୀୟ ସେବା ପଦକ” ପାଇଁ ଗୀତା ରାଣୀ ବେହେରା, ଅରୁଣ କୁମାର ସାହୁ, ପ୍ରଦୀପ କୁମାର ଦାଶ ଓ ବିଷ୍ଣୁ ଚରଣ ଭୁଜବଳ ପୁରସ୍କୃତ ହୋଇଛନ୍ତି ।