ଓଡିଶାର କୃଷି ଓ କୃଷକର ବିକାଶରେ ସାଧନାରତ ବ୍ୟକ୍ତିତ୍ଵ : ସମାଜସେବୀ ଦେବି ପ୍ରସାଦ ପତି
କଟକ : ଆମ ଦେଶ ଭାରତକୁ କୃଷି ପ୍ରଧାନ ଦେଶ କୁହାଯାଉଥିବା ବେଳେ କୃଷକ ଏହାର ଜାଗ୍ରତ ପ୍ରହରୀ । କୃଷିର ବିକାଶ ଆମ ସମାଜର ବିକାଶ । ଏହାର ବିକାଶ ନେଇ ଶିକ୍ଷା,କୃଷି,ସ୍ଵାସ୍ଥ୍ୟ ସେବା ଆଦି ଅନେକ ଦିଗରେ ଆମକୁ ଧ୍ୟାନ ଦେବା ଜରୁରୀ । କୃଷି ଓ କୃଷକର ବିକାଶ ଲକ୍ଷ୍ୟରେ ଜଣେ ସାଧନାରତ ସାରସ୍ଵତ ସାଧକ,ବହୁମୁଖୀ ପ୍ରତିଭା,ଚୀର ସଂଗ୍ରାମୀ ଲଢ଼ୁଆ କୃଷକ ନେତା,ପ୍ରକୃତି ବଂଧୁ,ଦକ୍ଷ ସଂଗଠକ ତଥା ଯୁବ ସମାଜସେବୀ ଦେବି ପ୍ରସାଦ ପତି ଅନ୍ୟତମ । ୧୯୮୪ ମସିହାରେ ପିତା - ବିଶିଷ୍ଟ ସାହିତ୍ୟିକ ତଥା ପରିବେଶବିତ୍ ଦୀନବନ୍ଧୁ ପତି(ସଭାପତି - ବିଶ୍ୱ ମୈତ୍ରୀ ବ୍ରାହ୍ମଣ ପରିଷଦ),ମାତା - ଆଦର୍ଶ ନାରୀ ପ୍ରତିଭା ସ୍ୱାଧୀନବାଳା ପତିଙ୍କ କୋଳମଣ୍ଡନ କରି କଟକ ସଦର ବ୍ଲକ୍ ଵୟାଳିଶମୌଜା ଉପକଣ୍ଠ କଳପଡା ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି । ବାଲୁଙ୍କେଶ୍ୱର ବିଦ୍ୟାପୀଠ ଦେଉଳିରୁ ମାଟ୍ରିକ୍ ପାସ୍,କଟକ ଜେକେବିକେ କଲେଜରୁ ଗ୍ରାଜୁଏସନ ପରେ ରୁରାଲ ଡେଭଲପମେଣ୍ଟରେ ଡିପ୍ଲୋମା ପାଠ୍ୟକ୍ରମ ଶେଷ କରିଛନ୍ତି । ଅଧୁନା କୃଷିକାର୍ଯ୍ୟ ଉପରେ ଗବେଷଣା ପୂର୍ବକ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ଦ୍ବାରା ପରିଚାଳିତ ଭୁବନେଶ୍ବର କୌଶଲ୍ୟାଗଙ୍ଗା ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ଅନୁସନ୍ଧାନ ସଂସ୍ଥା (ସିଫା)ର ପରିଚାଳନା ମଣ୍ଡଳୀ ସଦସ୍ୟ ଭାବେ ତାଙ୍କୁ ନିଯୁକ୍ତି ମିଳିଛି । ସେ ଅର୍ଗାନିକ ଓ ଟେକ୍ନୋଲୋଜି ମାର୍ଟର ନିର୍ଦ୍ଦେଶକ,ଉତ୍କଳଶ୍ରୀର ନିର୍ଦ୍ଦେଶକ,ରାଧାମାଧଵ ଉନ୍ନୟନ ଟ୍ରଷ୍ଟର ସଭାପତି,ଭାରତୀୟ କିଶାନ ସଙ୍ଘ,ଓଡ଼ିଶା କଟକ,କେନ୍ଦ୍ରାପଡା, ଜଗତସିଂପୁର ଜିଲ୍ଲାର ବିଭାଗ ସଂଯୋଜକ,ବିହନ ପ୍ରମୁଖ ଓଡ଼ିଶା ଆଦି ବିଭିନ୍ନ ସଙ୍ଗଠନରେ ବହୁ ପଦପଦବୀରେ ରହି ନିଜର ଦାୟୀତ୍ବ ତୁଲାଉଛନ୍ତି । ମଧୁର ଜଳ ମାଛ ଚାଷ ଉପରେ ଅଧିକ ଗବେଷଣା,ମାଛ ଚାଷୀମାନଙ୍କୁ ସୁବିଧା ସୁଯୋଗ ପ୍ରଦାନ ଏବଂ ଯୁବ ପୀଢ଼ିଙ୍କୁ ନୂତନ ଜ୍ଞାନକୌଶଳ ମାଧ୍ୟମରେ କୃଷି ତାଲିମ ଦେବା ତାଙ୍କ ରୋଜଗାରକୁ ନିଶ୍ଚିତ କରିବା ସହ ଓଡ଼ିଶାର ମାଛ ଚାଷୀ ଉପକୃତ ହେବାକୁ ସେ ଅହରହ ଚେଷ୍ଟିତ । ଦେବି ପ୍ରସାଦ ଜଣେ ଆଗ ଧାଡ଼ିର ସମାଜସେବୀ,ରକ୍ତଦାତା, ପରିବେଶବିତ ଭାବେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ସଂଗଠନ ପକ୍ଷରୁ ପୁରସ୍କୃତ । ଜନ ଜାଗରଣ,ସମାଜରେ ସାମାଜିକ ସଂସ୍କାର ପୁଣି ନିଜର ହକ୍ ପାଇଁ ଛାତ୍ରନେତାରୁ ସାମ୍ବାଦିକତାକୁ ପ୍ରବୃତ୍ତି ଭାବେ ଜୀବନ ଆରମ୍ଭ କରି ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶାର ଚାଷୀ ଆନ୍ଦୋଳନରେ ସାମିଲ ହୋଇ ଚାଷ ଓ ଚାଷୀ ପାଇଁ ଲଢେଇ ଜାରି କରି କଟକ ଜିଲ୍ଲାର କୃଷି ଆନ୍ଦୋଳନର ମଙ୍ଗ ଧରିଲେ । କଳା,ସାହିତ୍ୟ,ସଂସ୍କୃତିର ବିକାଶ ଦିଗରେ ସାଧନା ଜାରୀ ରଖି ଅନେକ ସଂଗଠନ ତାଙ୍କୁ ନିଜ ଉପଦେଷ୍ଟା କମିଟିରେ ସ୍ଥାନ ଦେଇଛନ୍ତି । ସେବାକୁ ପ୍ରାଧାନ୍ୟ ଦେଇ ସେ ମେଡିକାଲରେ ଅସହାୟ ଗରିବ ରୋଗୀଙ୍କ ସେବା, ପୂଜ୍ୟପୂଜା,ପରିବେଶ ସୁରକ୍ଷା ଆଦି ଅନେକ ମହତ କାର୍ଯ୍ୟ କରୁଛନ୍ତି । ସେ ଏଫପିଓ (ଫାର୍ମର ପ୍ରଡ୍ୟୁସର୍ ଅର୍ଗାନାଇଜେସନ୍) ଏକ୍ସପର୍ଟ,ମାଷ୍ଟର ଟ୍ରେନର,ଜୈବିକ ଚାଷ,କନ୍ଦ ଛତୁ ଜାତୀୟ ଚାଷ,ଉନ୍ନତ ବିହନ ଉତ୍ପାଦନ ଚାଷ ପ୍ରତି ପଂଚାୟତରେ ସୌରଚାଳିତ ଶୀତଳ ଭଣ୍ଡାର,ପ୍ରତି ପଞ୍ଚାୟତରେ ଗୋଶାଳା, ପ୍ରତି ପଞ୍ଚାୟତରେ ଉନ୍ନତ ବିହନ କେନ୍ଦ୍ର,କଟକ ଜିଲ୍ଲାକୁ ଟେକ୍ନୋଲୋଜି କରଣ ଏବଂ ଘରେଘରେ କୃଷି ଉଦ୍ୟୋଗି ବା କୁଟୀରଶିଳ୍ପ କରିବା ପାଇଁ ସଦାସର୍ବଦା ଚେଷ୍ଟା କରିବା ସହ ବିଭିନ୍ନ ଦିଗ ଉପରେ ଖୁବ୍ ଗବେଷଣା କରି ସାଧାରଣ ଜନତାଙ୍କୁ ଉପଯୁକ୍ତ ମାର୍ଗ ଦର୍ଶନ କରାଉଛନ୍ତି । ସେ ଜଣେ ସଫଳ ଚାଷୀ ଭାବେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଅନେକଙ୍କୁ କର୍ମ ସଂସ୍ଥାନ ଯୋଗାଇଛନ୍ତି । ତାଙ୍କ ବହୁତ ଲେଖା ବିଭିନ୍ନ ପତ୍ର ପତ୍ରିକା ମନଙ୍କରେ ପ୍ରକାଶିତ ହୋଇଛି । ଏହି ପ୍ରକୃତି ପ୍ରେମୀଙ୍କ ଶ୍ରମ ହେଉ ସଫଳ ।