ଭାରତୀୟ ଲୋକ ପ୍ରଶାସନ ସଂସ୍ଥାନ,ନୂଆ ଦିଲ୍ଲୀ ଏବଂ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ।
ରାଜ୍ୟ ତଥା ଦେଶରେ ପ୍ରଶିକ୍ଷଣ ଇକୋ-ସିଷ୍ଟମ୍ ର କ୍ଷମତା ବୃଦ୍ଧିରେ ଏହା ସହାୟକ ହେବ । ଏହି ସହଯୋଗ ରାଜ୍ୟର ସରକାରୀ କର୍ମଚାରୀଙ୍କ ଦକ୍ଷତାରେ ଉନ୍ନତି ଆଣିବା ସହ ସୁଶାସନର ଗତିରେ ଗଠନମୂଳକ ପ୍ରଭାବ ପକାଇବ ।

ନୂଆଦିଲ୍ଲୀ/ଭୁବନେଶ୍ୱର: ୨୭.୦୮.୨୦୨୩
ଭାରତୀୟ ଲୋକ ପ୍ରଶାସନ ସଂସ୍ଥାନ (ଆଇଆଇପିଏ), ନୂଆଦିଲ୍ଲୀ ଏବଂ ଓଡ଼ିଶା ସରକାରଙ୍କ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ (ଜିଏଏ) ମଧ୍ୟରେ ଏକ ବୁଝାମଣାପତ୍ର ଶୁକ୍ରବାର ସ୍ୱାକ୍ଷରିତ ହୋଇଯାଇଛି ।
ଏହି ଦୁଇ ଅନୁଷ୍ଠାନ ମଧ୍ୟରେ ଏକ ସହଯୋଗୀ ଢାଞ୍ଚା ପ୍ରତିଷ୍ଠା କରିବା ପାଇଁ ଜିଏଏର ମହାନିର୍ଦ୍ଦେଶକ ଶ୍ରୀ ରାଜ କୁମାର ଶର୍ମା ଆଇଆଇପିଏର ମହାନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ସହ ପର୍ଯ୍ୟାୟ କ୍ରମେ ଆଲୋଚନା କରିଥିଲେ । ଫଳ ସ୍ୱରୂପ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଶ୍ରୀ ଶର୍ମା ଏବଂ ଶ୍ରୀ ତ୍ରିପାଠୀଙ୍କ ମିଳିତ ଦୂରଦୃଷ୍ଟି ଏବଂ ନିରନ୍ତର ପ୍ରୟାସ ଉଭୟ ଅନୁଷ୍ଠାନର ଶିକ୍ଷାଦାନ ଏବଂ ଶିକ୍ଷଣ ଅଭିଜ୍ଞତାର ଗୁଣବତ୍ତା ବୃଦ୍ଧି କରିବ । ସମସ୍ତ ସମ୍ଭାବ୍ୟ ପାରସ୍ପରିକ ସହଯୋଗ ଓ ସୁଯୋଗ ଥିବା ବିଭିନ୍ନ କ୍ଷେତ୍ରରେ ରାଜ୍ୟ ତଥା ଦେଶରେ ପ୍ରଶିକ୍ଷଣ ଇକୋ-ସିଷ୍ଟମ୍ ର କ୍ଷମତା ବୃଦ୍ଧିରେ ଏହା ସହାୟକ ହେବ । ଏହି ସହଯୋଗ ରାଜ୍ୟର ସରକାରୀ କର୍ମଚାରୀଙ୍କ ଜ୍ଞାନ, ମନୋଭାବ ଓ ଦକ୍ଷତାରେ ଉନ୍ନତି ଆଣିବା ସହ ସୁଶାସନର ଗତିରେ ଗଠନମୂଳକ ପ୍ରଭାବ ପକାଇବ ।
ଆଇପିଏର ରେଜିଷ୍ଟ୍ରାର ଶ୍ରୀ ଅମିତାଭ ରଞ୍ଜନ ଏବଂ ଜିଏଏର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ଆରାଧନା ଦାସ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ । ଏହା ଭାଗିଦାରୀ ଭିତ୍ତିକ ଅଧ୍ୟୟନ ତଥା ପ୍ରଶିକ୍ଷଣରେ ଅଧ୍ୟାପକ ବିନିମୟ, ଯୁଗ୍ମ ଗବେଷଣା ପ୍ରକଳ୍ପ ଏବଂ ସୁବିଧା ଆଦାନ ପ୍ରଦାନ ଇତ୍ୟାଦିକୁ ପ୍ରୋତ୍ସାହିତ କରିବ ।
ଲୋକ ପ୍ରଶାସନ ଓ ଶାସନ ଉପରେ ବ୍ୟାପକ ଜ୍ଞାନ ଆହରଣ କରିବା ଏବଂ ଯୁବ ଓ ଉଦୀୟମାନ ପ୍ରଶାସକଙ୍କ ଆତ୍ମବିଶ୍ୱାସ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ତରଫରୁ ୨୦୨୦ (ଡିଆର୍) ବ୍ୟାଚ୍ ର ୧୨୭ ଜଣ ଓଏଏସ୍ ପ୍ରୋବେସନରଙ୍କ ପାଇଁ ୨୧ରୁ ୨୫ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଆଇଆଇପିଏ ଠାରେ ଏକ ସପ୍ତାହ ବ୍ୟାପୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପ୍ରଥମ ଥର ପାଇଁ ଓଏଏସ୍ ପ୍ରୋବେସନରମାନେ ରାଷ୍ଟ୍ରପତି ଭବନ, ସଂସଦ ଭବନ, ପିଏମ୍ ସଂଗ୍ରହାଳୟ, ଯୁଦ୍ଧ ସ୍ମାରକୀ ଓ ଜାତୀୟ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି । ଆଇଆଇପିଏ ଦ୍ୱାରା ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯାଇଥିବା ବେଳେ ଏହି ସଂସ୍ଥାନ ତରଫରୁ ଡଃ. ସୁରଭି ପାଣ୍ଡେ ଏବଂ ଗୋପବନ୍ଧୁ ଏକାଡେମୀର ଡ. ମମତାରାଣୀ ନାୟକ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ-ତଥା -ଏକ୍ସପୋଜର ଭିଜିଟ୍ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।