ପରିବହନ ଶ୍ରମିକ ମାନଙ୍କୁ ସେମାନଙ୍କର ଧର୍ମଘଟ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଅନୁରୋଧ କଲେ ଓଡ଼ିଶା ସରକାର

Jan 8, 2024 - 16:31
 7

ଭୁବନେଶ୍ୱର: ଗାଡ଼ି ଚାଳନା ସମୟରେ ଦୁର୍ଘଟଣା ଘଟିଲେ Hit & Run (ହିଟ୍‌ ଏଣ୍ଡ ରନ୍‌) ମାମଲାରେ କେନ୍ଦ୍ର ସରକାର ଭାରତୀୟ ନ୍ୟାୟ ସଂହିତାରେ ସଂପୃକ୍ତ ଚାଳକ କୌଣସି ପୋଲିସ ଅଧିକାରୀ କିମ୍ବା ମାଜିଷ୍ଟ୍ରେଟ୍‌ଙ୍କୁ ଖବର ନଦେଇ ପଳାତକ ହେଲେ ଚାଳକଙ୍କୁ ୧୦ବର୍ଷ ଜେଲ୍‌ ଦଣ୍ଡ ୭ ଲକ୍ଷ ଟଙ୍କା କିମ୍ବା ଉଭୟ କରାଯିବାର ବ୍ୟବସ୍ଥା କରାଯାଇଥିବା ପ୍ରସଂଗରେ ଓଡ଼ିଶାରେ ଶ୍ରମିକମାନଙ୍କର ପ୍ରତିନିଧିତ୍ୱ କରୁଥିବା ଅଲ ଓଡ଼ିଶା ଟ୍ରାନ୍‌ସପୋର୍ଟ ଓ୍ୱାର୍କର୍ସ ଫେଡେରେସନ୍‌ ତରଫରୁ ଆଜିଠାରୁ ଅର୍ଥାତ୍‌ ତା ୮.୧.୨୦୨୪ ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଧର୍ମଘଟ ଓ ଧାରଣା ଜରିଆରେ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଥିବା ପରିପ୍ରେକ୍ଷୀରେ ଆଜି ଏହି ଆସୋସିଏସନ୍‌ ତରଫରୁ ଏକ ପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ ପୂର୍ବକ ଏହାର ହସ୍ତକ୍ଷେପ ସଂପର୍କରେ ଅନୁରୋଧ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଲୋକସେବା ଭବନ ଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ତଥା ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀ, ଭୁବନେଶ୍ୱର-କଟକ ପୁଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଭୁବନେଶ୍ୱର ଡିସିପି ଶ୍ରୀ ପ୍ରତୀକ ସିଂ, ଅଲ ଓଡ଼ିଶା ଟ୍ରାନ୍‌ସପୋର୍ଟ ଓ୍ୱାର୍କର୍ସ ଫେଡେରେସନ୍‌ ସଭାପତି ଶ୍ରୀ ଜନାର୍ଦ୍ଦନ ପତି ପ୍ରମୁଖ ଉପସ୍ଥିତ ଥିଲେ । ବୈଠକର ନିଷ୍ପତ୍ତି ସଂପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ଏବଂ ଅଲ ଓଡ଼ିଶା ଟ୍ରାନ୍‌ସପୋର୍ଟ ଓ୍ୱାର୍କର୍ସ ଫେଡେରେସନ୍‌ ସଭାପତି ଶ୍ରୀ ଜନାର୍ଦ୍ଦନ ପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଉଭୟ ମୁଖ୍ୟ ଶାସନ ସଚିବ ଓ ଅଲ ଓଡ଼ିଶା ଟ୍ରାନ୍‌ସପୋର୍ଟ ଓ୍ୱାର୍କର୍ସ ଆସୋସିଏସନର ସଭାପତି ଶ୍ରୀ ପତି ପରିବହନ ଶ୍ରମିକ ମାନଙ୍କୁ ସେମାନଙ୍କର ଧର୍ମଘଟ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି ।